ପଙ୍ଗପାଳ ଭୟରେ ବିମାନ ପାଇଁ ସତର୍କ ସୂଚନା ଜାରି
ମାଡି ଆସୁଥିବା ପଙ୍ଗପାଳ ଦଳ ଏବେ କରୋନା ପରେ ଦେଶ ପାଇଁ ଦ୍ଵିତୀୟ ବୃହତ୍ତ ଚିନ୍ତାର ବିଷୟ ପାଲଟିଛି । ଏହା ଏବେ ଚାଷୀ ସହିତ ବିମାନ ଚାଳକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ନଜରରେ ରଖି ଆଭିଏସନ ବିଭାଗର ନିର୍ଦ୍ଦେଶକ ବିମାନ ଚାଳକ ତଥା ପାଇଲଟ ମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆକାଶରେ ବିମାନ ଉଡିବା ବେଳେ ଯଦି କୌଣସି ସ୍ଥାନରେ ପଙ୍ଗପାଳଙ୍କର ସୂଚନା ମିଳେ ତାହେଲେ ସୂଚନା ଦେବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛି।
ଯଦି ବିମାନ ଉଡ଼ିବା ବେଳେ ପଙ୍ଗପାଳ ବିମାନ ସାମ୍ନାକୁ ଆସିଯିବେ ତାହେଲେ ବିମାନ ଚାଳକ ଅଡ଼ୁଆରେ ପଡ଼ିବାର ସମ୍ଭାବନା ରହିଛି। ପାଇଲଟଙ୍କୁ ରାସ୍ତା ଦେଖାନଯାଇ ଦୁର୍ଘଟଣା ହେବାର ଆଶଙ୍କା ରହିଛି ବୋଲି ଡିଜିସିଏ ଅନୁଭବ କରିଛି। ପଙ୍ଗପାଳମାନେ ଝିଣ୍ଟିକା ପରି ଜୀବ ହୋଇଥିଲେ ମଧ୍ୟ ଏମାନେ କୋଟିକୋଟି ସଂଖ୍ୟାରେ ଦଳବଦ୍ଧ ହୋଇ ଆସନ୍ତି ଏବଂ ଭୂପୃଷ୍ଠରୁ କମ ଉଚ୍ଚତାରେ ଉଡ଼ନ୍ତି । ତେଣୁ ବିମାନ ଲ୍ୟାଣ୍ଡ କରିବା ବେଳେ କିମ୍ୱା ଟେକ ଅଫ କରୁଥିବାବେଳେ ଅଡ଼ୁଆ ସୃଷ୍ଟି କରିପାରନ୍ତି।