ମାଙ୍କଡ଼ ଚୋରିକଲେ କରୋନା ସ୍ୱାବ : ଗଛରେ ବସି ଖାଇଲେ

କରୋନା ଭାଇରସ ସାରା ବିଶ୍ୱରେ ଭୟର ବାତାବରଣ ଖେଳାଇ ଦେଇଥିବାବେଳେ ଉତ୍ତରପ୍ରଦେଶର ମିରଟରେ ଏକ ଅଜବ ଘଟଣା ଘଟିଛି । ଘଟଣାଟି ଯେତିକି ଆଶ୍ଚର୍ଯ୍ୟ କରୁଛି ସେତିକି ଚିନ୍ତା ବଢ଼ାଉଛି । ସୂଚନାରୁ ପ୍ରକାଶ ଯେ କରୋନା ପରୀକ୍ଷଣ ପାଇଁ ନିଆଯାଉଥିବା ନମୁନାକୁ ମାଙ୍କଡ଼ମାନେ ଛଡାଇ ନେଇଯାଇଛନ୍ତି ।

ଘଟଣାଟି ଘଟିଛି ମିରଟ ମେଡିକାଲ କଲେଜରେ । ମିଳିଥିବା ସୂଚନା ମୁତାବକ ଜଣେ ଲାବରେଟୋରୀ ଟେକନିସିଆନ କରୋନା ସନ୍ଦିଗ୍ଧମାନଙ୍କ ଠାରୁ ସ୍ବାବ ଟେଷ୍ଟ ପାଇଁ ନମୁନା ନେଇ ମେଡିକାଲ କଲେ ପରିସରରେ ଯାଉଥିଲେ । ହଠାତ ଏକ ମାଙ୍କଡ଼ ଦଳ ତାଙ୍କୁ ଆକ୍ରମଣ କରି ନମୁନା ଗୁଡ଼ିକୁ ଛଡାଇ ନେଇ ପଳାଇଯାଇଥିଲେ । କିଛିବାଟ ଯିବାପରେ ମାଙ୍କଡ଼ମାନେ ଗୋଟିଏ ଗଛରେ ଚଢି ସ୍ବାବଗୁଡ଼ିକୁ ଖାଉଥିବା ଦେଖାଯାଇଥିଲା । କିଛି ମାଙ୍କଡ଼ ମଧ୍ୟ ସ୍ବାବ ନମୁନା ଥିବା ଛୋଟ ଟ୍ୟୁବଗୁଡ଼ିକୁ ଏଣେତେଣେ ପକାଇଦେଇଥିବା ଦେଖାଯାଇଛି ।

ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଛି ଏବଂ କରୋନା ସଂକ୍ରମଣ ଘଟାଇବା ଆଶଙ୍କାକୁ ବଢ଼ାଇ ଦେଇଛି । କାରଣ ମାଙ୍କଡ଼ମାନଙ୍କୁ ନିୟନ୍ତ୍ରଣ କରିବା କାଠିକର ପାଠ । ସେମାନେ ଏଣେତେଣେ ବୁଲୁଥିବାରୁ ତାଙ୍କଦ୍ୱାରା କରୋନା ସଂକ୍ରମଣ ବଢିବାର ଆଶଙ୍କା ବଢିଯାଇଛି । ଏହି ଘଟଣା ସଂପର୍କିତ ଏକ ଭିଡ଼ିଓ ଭାଇରାଲ ହୋଇଥିବାବେଳେ ମିରଟ ଜିଲ୍ଲାପାଳ ଅନୀଲ ଧିଙ୍ଗରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *