କବିତା – “ଗୋମାତା”

କବି : ଧ୍ରୁବ ଚରଣ ମହାନ୍ତି
ଚକର ପୁର , ଗୌଡ ଗୋପ , ମାହାଙ୍ଗା , କଟକ
ମୋବାଇଲ ଫୋନ : ୯୬୧୧୨୦୦୫୩୩

ଜନମ ପରେ ଜାଣିଲି ମୁହିଁ
ଦୁଇଟି ମାଆ ମୋର
ଜନମ ନେଇ ଜଣଙ୍କ ଠାରୁ
ପିଇଲି ଆନ ଖିର ।
ପ୍ରଥମ ମାଆ ସେନେହେ ଅତି
କରିଛି ମୋତେ ବଡ଼
ଦ୍ଵିତୀୟ ମାଆ ମୋପାଇଁ କେତେ
ସହିଛି ଦୁଃଖ ଝଡ଼ ।

ପାରେନି କହି ଦ୍ଵିତୀୟ ମାଆ
ଡାକିଲେ ଆସେ ଧାଇଁ
ସତେ ଯେମିତି ସେପରି ନାଆଁ
ଆଉ କାହାରି ନାହିଁ ।
ଗୋମାତା ସିଏ ମୋମାତା ସିଏ
ବୁଦ୍ଧିରେ କିଏ ସରି
ମାଆ ପରିକା ପାଏସେ ଭଲ
କରେସେ ଗେଲ ଭାରି ।

ଦେହରୁ ଧୂଳି ଦିଏସେ ଝାଡି
ଜିଭରେ ତାର ଚାଟି
ସତେ ଯେମିତି କହନ୍ତା କିଛି
ଖୋଲୁଥିଲେ ତା ପାଟି ।
ମୋ ମାଆ ପରି ପୂଜେ ମୁଁ ତାଙ୍କୁ
ଆୟୁଷ ପୁଣି ମାଗେ
ସକାଳୁ ସଞ୍ଜ ସଞ୍ଜ ସକାଳ
ମାଆକୁ ମୋର ଜଗେ ।

ଗୋମାତା ଠାରୁ ବଡ଼ ଦେବତା
ସଂସାରେ ନାହିଁ କେହି
କାହ୍ନାର ପ୍ରିୟ ଗୋମାତା ଥିଲେ
ଏବେମୋ ପ୍ରିୟ ସେହି ।
ଗୋମାତା ପୂଜା କରଇ ଯିଏ
ବଢ଼ଇ ତାର ଯଶ
ତେତିଶ କୋଟି ଦେବତା ତହିଁ
କରନ୍ତି ବସ ବାସ ।

Leave a Reply

Your email address will not be published. Required fields are marked *