ମାଗିଥିବା ଭିକକୁ କରିଦେଲେ ଦାନ

କୁହାଯାଏ ଯେତେବେଳେ ବିପଦ ଆସେ ସେତେବେଳେ ମଣିଷ ମଣିଷକୁ ଚିନ୍ହେ । ଆଉ ଏବେ ସର ବିଶ୍ୱକୁ କରୋନା ମହାମାରୀ ଗ୍ରାସ କରିଥିବା ସମୟରେ ଗୁଡିଏ ଆଶ୍ଚର୍ଯ୍ୟକର ଓ ଭଲ ଖବର ମଧ୍ୟ ଦେଖିବାକୁ ମିଳୁଛି । ଏହିଭଳି ଆଉ  ଏକ ଘଟଣା ଦେଖିବାକୁ ମିଳିଛି ଜଣେ ଭିକାରୀଙ୍କ କ୍ଷେତ୍ରରେ ।

ସୂଚନା ଅନୁସାରେ ପଞ୍ଜାବର ପଠାନକୋଟରେ ରାଜୁ ନାମକ ବ୍ୟକ୍ତି ନିଜର ଅସହାୟତା ପାଇଁ ଭିକ୍ଷା ବୃତ୍ତି କରି ଚଳନ୍ତି । ହେଲେ ଅନ୍ୟ ଗରିବ ଓ ଅସହାୟଙ୍କ ସେବା କରିବାର ସୁଯୋଗ ପାଇଲେ ନିଜ ଭିକଥାଳିକୁ ବାଣ୍ଟି ଦିଅନ୍ତି । ବର୍ତ୍ତମାନ କରୋନା ମହାମାରୀ ପାଇଁ ଲକଡାଉନ ଚାଲିଥିଲା ବେଳେ ଅନେକ ବ୍ୟକ୍ତି ଭୋକଉପାସରେ ଜୀବନ କାଟୁଛନ୍ତି । ତେବେ ରାଜୁ ବର୍ତ୍ତମାନ ପର୍ଯ୍ଯନ୍ତ ୧୦୦ଜଣ ଗରିବ ପରିବାରଙ୍କୁ ଏକ ମାସର ରାସନ ଏବଂ ୩୦୦୦ ମାସ୍କ ବାଣ୍ଟି ସାରିଛନ୍ତି ।

ରାଜୁ ନିଜ ଚଳିବା ପାଇଁ ଯେଉଁ ଭିକ ମାଗି ଆଣିଥାନ୍ତି ସେଥିରୁ ପ୍ରତିଦିନ ନିଜ ଆବଶ୍ୟକତା ପାଇଁ ଖର୍ଚ୍ଚ କରି ଅନ୍ୟ ସବୁ ପଇସା ସଞ୍ଚୟ କରି ରଖିଥାନ୍ତି । ସେହି ସଞ୍ଚିତ ପଇସାରେ ନିଜ ଭଳି ଅନ୍ୟ ଅସହାୟଙ୍କୁ ସାହାଯ୍ୟ କରନ୍ତି । ନିଜେ ଚାଲି ନପାରି ତିନିଚକିଆ ସାଇକେଲରେ ଭିକ ମାଗୁଥିବା ରାଜୁ ଏଯାଏଁ ୨୨ଜଣ ଗରିବ ଝିଅଙ୍କର ବିବାହ କରାଇ ସାରିଲେଣି । ସେ ଆହୁରି ମଧ୍ୟ ଖରାଦିନେ ଜଳଛତ୍ର ବଣ୍ଟନ କରନ୍ତି ଓ ଗରିବ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବା ପାଇଁ ଖର୍ଚ୍ଚ କରନ୍ତି ।ତେବେ ଏହି ଖବରଟି ପ୍ରଚାରିତ ହେବା ପରେ ରାଜୁଙ୍କୁ ସବୁଆଡୁ ବାହା ବାହା ମିଳୁଛି ।

Leave a Reply

Your email address will not be published. Required fields are marked *