ଇତିହାସରେ ମହାମାରୀ : କରୋନାଠାରୁ ବି ଭୟାନକ ବିଭୀଷିକା

ସାରା ବିଶ୍ୱରେ କରୋନାଭାଇରସ୍ ଦ୍ୱାରା ନିହତ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ପାଖାପାଖି ପହଞ୍ଚି ସାରିଲାଣି । ସୂଚନା ଆନୁସାରେ ଗତ ୨ ହଜାର ବର୍ଷ ମଧ୍ୟରେ ବିଶ୍ୱକୁ ୨୦ଟି ବଡ ମହାମାରୀ ବ୍ୟାପିଛି। ସେଥିମଧ୍ୟରୁ କରୋନା ବା କୋଭିଡ-୧୯ ହେଉଛି ୧ ଲକ୍ଷରୁ ଅଧିକ ଜୀବନ ନେଇଥିବା ଇତିହାସର ୧୭ତମ ମହାମାରୀ ।


ଇତିହାସ କହେ ୧୬୫ ମସିହାରେ ପ୍ରଥମଥର ପାଇଁ ମହାମାରୀ ବ୍ୟାପିଥିଲା। ଆଣ୍ଟୋନାଇନ୍ ନାମକ ପ୍ରଥମ ମହାମାରୀ ଏସିଆ, ଇଜିପ୍ଟ, ଗ୍ରୀସ୍ ଏବଂ ଇଟାଲୀରେ ବ୍ୟାପି ଯାଇଥିଲା। ଏହି ମହାମାରିରେ ପ୍ରାୟ ୫୦ଲକ୍ଷ ଲୋକଙ୍କ ପ୍ରାଣହାନି ଘଟିଥିଲା।

ଜଷ୍ଟିନିଆନ୍ ପ୍ଲେଗ
ମୃତ୍ୟୁସଂଖ୍ୟା: ୫ କୋଟି +
ପରବର୍ତ୍ତୀ ବଡ଼ ମହାମାରୀ ଜଷ୍ଟିନିଆନ ପ୍ଲେଗ ୫୪୧ରୁ ୫୪୨ ମସିହା ମଧ୍ୟରେ ଏସିଆ, ଉତ୍ତର ଆଫ୍ରିକା, ଆରବ ଏବଂ ୟୁରୋପରେ ବ୍ୟାପିଗଲା। ସେତେବେଳେ ବିଶ୍ଵଜନସଂଖ୍ୟା ୧୦ କୋଟି ପାଖାପାଖି ଥିଲା । ଏହାର ଭୟାବହତା ଏତେ ଥିଲା ଯେ ସମୁଦାୟ ବିଶ୍ଵଜନସଂଖ୍ୟାର ଅଧା ଏହି ରୋଗରେ ଗୋଟିଏ ବର୍ଷ ମଧ୍ୟରେ ଲୋପ ପାଇଗଲା ।

କଳା ମୃତ୍ୟୁ/ ବ୍ଲାକ ଡେଥ
ମୃତ୍ୟୁସଂଖ୍ୟା: ୨୦ କୋଟି +
୧୩୪୭ ରୁ ୧୩୫୧ମସିହା ମଧ୍ୟରେ ‘କଳା ମୃତ୍ୟୁ’ ବା ବ୍ଲାକ ଡେଥ ନାମରେ ଆଉ ଏକ ମହାମାରୀ ବ୍ୟାପିଥିଲା । ନାଁରୁ ଅନୁମାନ କରିହେବ ଏହାର ବିଭୀଷିକା । ଏହା ସମଗ୍ର ୟୁରୋପ ଏବଂ ଏସିଆରେ ବ୍ୟାପି ଯାଇଥିଲା । ସେହି ସମୟରେ ସମୁଦ୍ର ପଥରେ ବାଣିଜ୍ୟ କରାଯାଉଥିଲା ଏବଂ ସମୁଦ୍ର ଜାହାଜରେ ମୂଷା ଥିଲେ । ଏହି ରୋଗ ମୂଷାମାନଙ୍କଠାରୁ ମାଛି ଓ ପରେ ମାଛିଠାରୁ ବଣିକ ମାନଙ୍କ ସହ ଅନ୍ୟ ଲୋକଙ୍କୁ ବ୍ୟାପିଗଲା। ସବୁଠାରୁ ବଡ଼ କଥା ଏହି ମହାମାରୀ ଚୀନ ରୁ ହିଁ ଆରମ୍ଭ ହୋଇଥିଲା ।

ବସନ୍ତ / ସ୍ମଲ ପକ୍ସ
ମୃତ୍ୟୁସଂଖ୍ୟା: ୫.୫ କୋଟି +

୧୪୯୨ ମସିହାରୁ ଏହି ରୋଗର ଆରମ୍ଭ ହୋଇଥିଲା ।ୟୁରୋପୀୟମାନେ ଆମେରିକାରେ ପହଞ୍ଚିବା ମାତ୍ରେ ଆମେରିକାରେ ସ୍ମଲ ପକ୍ସ ନାମକ ଏକ ସଂକ୍ରମଣ ବ୍ୟାପିଗଲା। ସେହି ସମୟରେ ଏହି ସଂକ୍ରମଣ ଦ୍ୱାରା ଆମେରିକାରେ ଯେତିକି ଲୋକଙ୍କର ମୃତ୍ୟୁ ଘଟିଥିଲା, ତାହା ସେହି ସମୟରେ ଆମେରିକାର ମୋଟ ଜନସଂଖ୍ୟାର ୯୦% ଥିଲା। ୟୁରୋପୀୟମାନେ ଏହାର ସୁଯୋଗ ନେଇ ଏଠାରେ ସେମାନଙ୍କର ଉପନିବେଶ ସ୍ଥାପନ କରିବା ଆରମ୍ଭ କରିଦେଲେ । ବସନ୍ତ ରୋଗ ଏବେ ମଧ୍ୟ ବିସ୍ତାର କରୁଛି ଏବଂ ଏକ ଆକଳନ ଅନୁଯାୟୀ ଏଥିରେ ଏପର୍ଯ୍ୟନ୍ତ ସାଢ଼େ ୫ କୋଟି ଲୋକଙ୍କ ମୃତ୍ୟୁ ଘଟିସାରିଲାଣି।

ହଇଜା/କଲେରା
ମୃତ୍ୟୁସଂଖ୍ୟା : ୧୦ ଲକ୍ଷ +
୧୮୧୭ ମସିହାରେ ‘ହଇଜା’ ନାମକ ଏକ ମହାମାରୀ ଭାରତରେ ଆରମ୍ଭ ହୋଇଥିଲା। ପରେ ଏହି ରୋଗ ଗଙ୍ଗା ନଦୀ ଡେଲ୍ଟା ଦେଇ ଏସିଆ, ୟୁରୋପ, ଉତ୍ତର ଆମେରିକା ଏବଂ ଆଫ୍ରିକାରେ ମଧ୍ୟ ବ୍ୟାପିଗଲା। ସେ ସମୟରେ ବିଶୁଦ୍ଧ ପାନୀୟ ଜଳର ଅଭାବ ଥିଲା। ତେଣୁ ମଇଳା ପାଣି ପିଇବା ଏହି ରୋଗର କାରଣ ଥିଲା। ସେହି ସମୟରେ ଏହି ରୋଗ ହେତୁ ୧୦ ଲକ୍ଷରୁ ଅଧିକ ମୃତ୍ୟୁ ଘଟିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରତିବର୍ଷ ୧୩ ଲକ୍ଷରୁ ୪୦ ଲକ୍ଷ ଲୋକ ଏହି ରୋଗରେ ଏଯାବତ ପୀଡିତ ହେଉଛନ୍ତି। ଏହି ରୋଗ ହେତୁ ପ୍ରତିବର୍ଷ ଦେଢ଼ଲକ୍ଷ ପର୍ଯ୍ୟନ୍ତ ମୃତ୍ୟୁ ଘଟିଥାଏ।

ସ୍ୱାଇନ୍ ଫ୍ଲୁ / H1N1 ଭୁତାଣୁ
ମୃତ୍ୟୁସଂଖ୍ୟା: ୫.୫ ଲକ୍ଷ +
୨୦୦୯ ମସିହାରେ ଆମେରିକାରେ ଆରମ୍ଭ ହୋଇ ଅଳ୍ପ ସମୟ ମଧ୍ୟରେ ସାରା ବିଶ୍ୱରେ ବ୍ୟାପିଗଲା ଏହି ଘାତକ H1N1 ଭୁତାଣୁ । ଯାହାକି ସାରା ବିଶ୍ୱରେ ସାଢେ 5 ଲକ୍ଷରୁ ଅଧିକ ଜୀବନ ନେଇଥିଲା ।

କରୋନା ଭାଇରସ୍ / କୋଭିଡ-୧୯
ମୃତ୍ୟୁସଂଖ୍ୟା: ୧ ଲକ୍ଷ + (ରିପୋର୍ଟ ଲେଖାଯିବା ସମୟରେ)
ସମ୍ପ୍ରତି ବିଶ୍ୱରେ ଭୟର ବାତାବରଣ ଖେଳାଇଥିବା କରୋନା ଭାଇରସ ଇତିହାସର ୧ ଲକ୍ଷରୁ ଅଧିକ ଜୀବନ ନେଇଥିବା ୧୭ତମ ମହାମାରୀ । ଚାଇନାର ୱୁହାନ ସହର କରୋନା ଭାଇରସ୍ ର ଉତ୍ପତିସ୍ଥଳ । ଏଥିରେ ସଂକ୍ରମିତ ପ୍ରଥମ ରୋଗୀ ପ୍ରଥମ ଥର ପାଇଁ ୮ ଡିସେମ୍ବର ୨୦୧୯ ରେ ଚିନ୍ହଟ ହୋଇଥିଲେ । ୧୩ ମାର୍ଚ୍ଚ ୨୦୨୦ରେ WHO ଏହାକୁ ମହାମାରୀ ଘୋଷଣା କରିଛି । କରୋନା ଦ୍ୱାରା ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ମୃତ୍ୟୁ ଘଟିଛି ଓ ଯାହାର କୌଣସି ନିର୍ଦ୍ଧିଷ୍ଟ ଔଷଧ ବାହାରି ପାରିନାହିଁ ।
(ନାଶନାଲ ଜିଓ ଗ୍ରାଫିକ ଓ ଗଣମାଧ୍ୟମ ରିପୋର୍ଟର ସୂଚନା ଉପରେ ଆଧାରିତ ।

Leave a Reply

Your email address will not be published. Required fields are marked *