ଜଗତସିଂହପୁରରେ ୪ କେନ୍ଦ୍ରାପଡାରେ ୧ କୋଭିଡ ପଜିଟିଭ ଚିନ୍ହଟ

ଭୁବନେଶ୍ୱର: ଆଜି ପ୍ରଥମଥର ପାଇଁ ଜଗତସିଂହପୁର ଜିଲ୍ଲାରେ କୋଭିଡ-୧୯ ପଜିଟିଭ ଚିନ୍ହଟ ହୋଇଛନ୍ତି । ଆରମ୍ଭରୁ ଗ୍ରୀନ ଜୋନ ଥିବା ଜଗତସିଂହପୁର ଜିଲ୍ଲାରେ ଆଜି ଏକାଥରକେ ୪ ଜଣ କରୋନା ରୋଗୀ ଚିନ୍ହଟ ହୋଇଛନ୍ତି । ୪ ଜଣଙ୍କ ବୟସ ଯଥାକ୍ରମେ ୨୬, ୩୨, ୩୦ ଓ ୪୭ । ସେମାନେ ସମସ୍ତେ ପୁରୁଷ ଓ ନିକଟରେ ସୁରତରୁ ଫେରି କ୍ବାରେଣ୍ଟାଇନରେ ଥିଲେ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ କରିଛି ।

ସେହିଭଳି ଭାବେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଅନ୍ୟ ଜଣେ ୬୦ ବର୍ଷୀୟ ବୃଦ୍ଧ କରୋନା ଆକ୍ରାନ୍ତ ହୋଇଥିବା ଚିନ୍ହଟ ହୋଇଛନ୍ତି । ସେ ନିକଟରେ କଲିକତାରୁ ଫେରିଥିଲେ ।

ରାଜ୍ୟରେ ଏପର୍ଯ୍ୟନ୍ତ ୪୭ ହଜାର ୪୫୪ଟି ନମୁନା ପରୀକ୍ଷା ହୋଇଛି । ସେଥିମଧ୍ୟରୁ ମୋଟ ୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାଏଁ ୧୭ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୪୭ ଜଣ, ବାଲେଶ୍ୱରରେ ୨୫ ଜଣ, ଭଦ୍ରକରେ ୨୧ ଜଣ, ସୁନ୍ଦରଗଡ଼ରେ ୧୨ ଜଣ, ଗଂଜାମ ଓ ଜଗତସିଂହପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଲେଖାଏଁ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ, ଦେବଗଡ଼, ଢେଙ୍କାନାଳ ଓ ପୁରୀ ଆଦି ଜିଲ୍ଲାରୁ ଜଣେଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ୧୮୫ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ମୃତ, ୬୧ ଜଣ ସୁସ୍ଥ ଓ ୧୨୨ ଜଣ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *