ଓଡ଼ିଶାର ଏହି ବ୍ୟକ୍ତି ଲକଡାଉନରେ କରୁଛନ୍ତି ଏମିତି କାମ, ସବୁଆଡୁ ଛୁଟୁଛି ପ୍ରଶଂସା
କରୋନାକୁ ନେଇ ସାରା ପୃଥିବୀରେ ଏକ ଭୟର ବାତାବରଣ ଖେଳିଯାଇଛି । ମହାମାରୀ ମୁକାବିଲା ପାଇଁ ଭାରତ ସରକାର ଆସନ୍ତା ଏପ୍ରିଲ 14 ତାରିଖ ଯାଏ ତାଲାବନ୍ଦ ଘୋଷଣା କରିଥିବା ବେଳେ ଓଡିଶା ସରକାର ଗତକାଲି ଏହି ତାଲାବନ୍ଦକୁ ଆସନ୍ତା ଏପ୍ରିଲ 30 ତାରିଖ ଯାଏ ଘୁଞ୍ଚାଇ ଦେଇଛନ୍ତି। ଏହି ନିୟମକୁ ପାଳନ କରି ଭାରତୀୟମାନେ ଘରେ ରହୁଥିବା ବେଳେ ଅନେକ ଲୋକ ତାଙ୍କର ମାନବତା ଦେଖାଇ ମହାନ ପାଲଟି ଯାଉଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ବାଇସି ମୌଜା ଅଞ୍ଚଳରେ ।

ବିରିଡି ବ୍ଲକ୍ ଅନ୍ତର୍ଗତ ବାଇସି ମୌଜା ର ବାଣୀକଣ୍ଠ ଉପାଧିପ୍ରାପ୍ତ ସଙ୍ଗୀତଜ୍ଞ ପ୍ରଦୀପ୍ତ ବେହେରା । ପେସାରେ ଦରଜି ଓ ନିଶା ସଙ୍ଗୀତ ଗାଇବା । ନିମାଇ ହରିଚନ୍ଦନ ଙ୍କ ଭଜନ ସବୁ ମୁହୁର୍ତ୍ତରେ ତାଙ୍କ କଣ୍ଠରେ ଥାଏ ଏବଂ ସିଲେଇ ମେସିନରେ ଚାଲିଥାଏ ପରିବାର ପୋଷିବା ପାଇଁ ସଂଘର୍ଷ ।ବର୍ତ୍ତମାନ ଏହି ମହାମାରୀ କରୋନା ଭୂତାଣୁ ର ଭୟାବହ ପରିସ୍ଥିତି ରେ ସେ ତାଙ୍କର ମାନବତା ପାଇଁ ପାଲଟିଛନ୍ତି ସମସ୍ତଙ୍କ ପାଇଁ ଉଦାହରଣ ।ତାଲାବନ୍ଦ ପାଇଁ ବଜାର ବନ୍ଦ କାମଧନ୍ଦା ବନ୍ଦ ।କିନ୍ତୁ ନିଜ ଅଞ୍ଚଳରେ ମାସ୍କ ର ଅଭାବ ପୂରଣ ପାଇଁ ସେ ମଧ୍ୟ ଅଣ୍ଟା ଭିଡିଛନ୍ତି ।ଇତି ମଧ୍ୟରେ ୧୫୦୦ ମାସ୍କ ବହୁ ଗରିବ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରିସାରିଲେଣି । ବର୍ତ୍ତମାନ ଆହୁରି ମାସ୍କ ତିଆରି ଜାରି ରଖିଛନ୍ତି ।

ଏ ସମ୍ପର୍କରେ ପଚାରିବାରୁ ପ୍ରଦୀପ୍ତ କୁହନ୍ତି ବର୍ତ୍ତମାନ ଗରିବଗୁରୁବାଙ୍କୁ ମାସ୍କ ମିଳୁନି । ଏବେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା ସମୟ । ତେଣୁ ମୋ ଦ୍ବାରା ଯେତିକି ସମ୍ଭବ ମୁଁ କରିବି। ତାଙ୍କର ଏଭଳି ପ୍ରଚେଷ୍ଟା ପାଇଁ ବହୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।